ଗୋଟେ ନିରୀହ ଅନାଥ ଗାଁ ଝିଅ ର ସଂଘର୍ଷମୟ ଦୁଃଖଦ କାହାଣୀ ବିଷୟରେ ପୁସ୍ତକଟିରେ ଅବତାରଣା କରାଯାଇଛି । ମା' ତା’ର ଅପାଠୋଇ। ତଥାପି ସେ ନିଜ ସିଦ୍ଧାନ୍ତ ରେ ଅଟଳ। ସମାଜର ଥଟ୍ଟା ପରିହାସ କୁ ସେ ଖାତିର କରିନାହିଁ । ନିଜ ଝିଅ କୁ ସେ ପାଠ ପଢ଼ାଇଛି।
କିନ୍ତୁ ଦାରୁଣ ଦଇବ ପାଖରେ ତା’ର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଝିଅଟି କୁ ଅନାଥ କରି ଦୁହେଁ ପିତାମାତା ଆରପାରିକୁ ଚାଲିଯାଇଛନ୍ତି।
ଦୃଢମନା ଝିଅ ସବେଇ କିନ୍ତୁ ଭାଙ୍ଗିପଡ଼ିନାହିଁ । ମନରେ ସେ ଦୃଢ଼ ସଂକଳ୍ପ କରିଛି, ସେ ପାଠ ପଢ଼ିବ। ନିଜ ଗାଁ ର ଉନ୍ନତି କରି ନିଜ ଗାଁ କୁ ଗୋଟେ ଆଦର୍ଶ ଗ୍ରାମ ରୂପେ ଗଢ଼ିବ ।
ମନରେ ଦୃଢ ଆଶା ଥିଲେ ଉପାୟ ତ ନିଶ୍ଚୟ ଆପେ ଆପେ ଆସେ । ଆଶୀର୍ବାଦ ଓ ସହାୟତା ର ହସ୍ତ ଲମ୍ବି ଆସିଥିଲା ସେହିପରି ସବେଇ ନିକଟକୁ ବିଭିନ୍ନ ଚରିତ୍ର ମାଧ୍ୟମରେ। ମୁଖ୍ୟ ଭୂମିକା ଥିଲା ପ୍ରଧାନ ଶିକ୍ଷକଙ୍କର ଏବଂ ଗ୍ରାମ ର ସରପଞ୍ଚଙ୍କ ।
ବାସ୍, ତା ପରେ ସବେଇ ମାଡ଼ି ଚାଲିଥିଲା ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାରେ। ଗାଆଁ ରେ ଶିକ୍ଷିତ ସଂଖ୍ୟା ବଢୁଥିଲା । ଗୋଟିଏ ପରେ ଗୋଟିଏ ଉନ୍ନତି ହୋଇଚାଲିଥିଲା।
ସବେଇ ଶୈଶବ ରୁ ଯୌବନରେ ପଦାର୍ପଣ କରୁଥିଲା। ଠିକ୍ ନିଜ ପରି ଏବଂ ନିଜ ଚିନ୍ତାଧାରା ର ସାର୍ଥକ ମଣିଷଟିଏ ସହ ତାର ସାକ୍ଷାତ ହୋଇଥିଲା । ତା' ପରେ ଦୁହେଁ ଏକ ମନ ଏକ ପ୍ରାଣରେ ଗାଁର ଗୋଟିଏ ପରେ ଗୋଟିଏ ଉନ୍ନତି କରିଚାଲିଥିଲେ ।
କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର। ସବେଇ କର୍କଟ ରୋଗରେ ଆକ୍ରାନ୍ତ ହେଲା। ସାଥୀ ଡକ୍ଟର ଅବିନାଶ ଙ୍କ ହୃଦୟରେ ଦାରୁଣ ଦୁଃଖ । ସବେଇ ଶେଷ ନିଃଶ୍ୱାସ ତ୍ୟାଗ କଲେ। ତଥାପି ବି ତାର କର୍ତ୍ତବ୍ୟ ସରିନଥିଲା ନିଜ ଜନ୍ମମାଟି ଜନ୍ମଭୂମି ପ୍ରତି । ନିଜର ‘ଅନ୍ତିମ ଇଚ୍ଛା ‘– ତାର ମୃତଶରୀରକୁ ଅଙ୍ଗ ଦାନ ସଂସ୍ଥା ମାଧ୍ୟମରେ ଶ୍ରୀ ରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟକୁ ହସ୍ତାନ୍ତର କରିବା । ତାହା ହିଁ ହେଲା । ସମସ୍ତ ଗ୍ରାମବାସୀ ସବେଇର ଶେଷଇଚ୍ଛାକୁ ସମ୍ମାନ ଜଣାଇ ମହାବିଦ୍ୟାଳୟ କୁ ମୃତ ଶରୀର ଦାନ କଲେ।
ପାଠକେ ନିଶ୍ଚୟ ହୃଦୟଙ୍ଗମ କରିବେ – ଏହା ହିଁ ତ ଗୋଟିଏ ଦୀର୍ଘ ଜୀବନ ବ୍ୟାପି ସଂଘର୍ଷମୟ ଜୀବନର ଯଥାର୍ଥ ସଫଳତା।